26 July 2021

ଘରଟେ ବନେଇବି & ଅସହାୟ ସହର

ଘରଟେ ବନେଇବି

 

ଭାବୁଛି,

ଘରଟେ ବନେଇବି,

 

ବାୟା ଚଢେଇଠୁ ଆଣିବି

ଘରର ନକ୍ସା

 

ଟିକେ ଚଢାଦର ଦେଇ ଦେଲେ

ମିସ୍ତ୍ରୀ କାମ ପାଇଁ

ରାଜି ହୋଇଯିବ ମାଂକଡ଼ଶା

 

ଜାଗା ?

ଏ’ଠି ଜାଗାର କି ଅଭାବ ଅଛି,

ଯାହାକୁ ବି ଅନୁରୋଧ କଲେ

ମିଳିଯିବ ଅନ୍ତତଃ

ପାଞ୍ଚ ଫୁଟ୍ ପାଞ୍ଚ ଇଂଚ୍ ଅଭାବି ମନ

ରଖିବାକୁ ପଡ଼ିବ

ସେଇ ଭରସା ।

 

ଘରକାମ ଶେଷ ହେବ ଯେବେ

 

ଅଗଣାରେ ରଖିବି କିଛି

ଚଟିଆ ପକ୍ଷୀଙ୍କ କାକଳି,

ଭିତରେ ଝିଟିପିଟିର କିତ୍ କିତ୍,

ରୋଷେଇ ଘରେ କିଛି

ମୂଷାଙ୍କ ଉପଦ୍ରବ ଏବଂ

କାଂଥରେ ଟାଂଗିବି

ଗୋଟିଏ ତୈଳ ଚିତ୍ର,

 

ସମୁଦ୍ର ଭିତରେ

ଡଙ୍ଗାଟିଏର ଦୃଶ୍ୟ ରଖିବି ?

ନା,

 

ଜଂଗଲ ଭିତରେ

ବାଘ ଦୁଇଟିର ଦୃଶ୍ୟ ରଖିବି?

ନା,

 

ଶଗଡ଼ ଗାଡ଼ିରେ ଯୁଦ୍ଧର ଦୃଶ୍ୟ

ଯେଉଁଠି ଲେଖାଥିବ

ଯଦା ଯଦା ହି… ?

ନା,

 

ଏ ସବୁ ତ ସଭିଙ୍କ ଘରେ,

 

ମୁଁ କିଂତୁ ଏକ ନୂଆ

ଅତି ପରିଚିତ ଛବିର ତୈଳଚିତ୍ରଟିଏ

ଟାଂଗିବି ଯଥା ପୋଡ଼ା ମାଝିର

ଟିଣ ବାକ୍ସ, ରସଡେକ୍‌ଚି ମୁଣ୍ଡେଇ

ଇଟା ଗଢି ଯାଉଥିବାବେଳେ

ବସ୍ ଚଢ଼ୁ ଥିବାର ଦୃଶ୍ୟ

ଟାଂଗିବି ମୋ ଖଟ ସାମ୍ନାରେ

ତା’ର ନାମ ଫଳକ ସହ,

 

କାକଳି

କିତ୍ କିତ୍ ଏବଂ

ଉପଦ୍ରବର

ଚମତ୍କାର ସଂଗୀତ ଧ୍ଵନିରେ

ତୈଳଚିତ୍ର ଦେଖୁ ଦେଖୁ

ଶୋଇ ପଡ଼ିବି,

 

ଶୋଇ ପଡ଼ିବି ଯେ ଉଠିବିନି

ଶତାବ୍ଦୀ ଶତାବ୍ଦୀ ଧରି,

 

ବହୁବର୍ଷ ପରେ

ଐତିହାସିକମାନେ ଯେବେ

ଆବିଷ୍କାର କରିବେ ଏ ଘର,

 

ନ ଥିବ ପକ୍ଷୀର କାକଳି

ନ ଥିବ ଝିଟିପିଟିର କିତ୍ କିତ୍

ନ ଥିବ ବି ମୂଷାର ଉପଦ୍ରବ

 

ଏପରିକି

ମୁଁ ଶୋଇଥିବା ଖଟ ଓ

ମୋର କଂକାଳ ।

 

ତୈଳଚିତ୍ରଟି ସେଇମିତି

ଟଂଗା ହୋଇଥିବ ।

 

ଐତିହାସିକମାନେ ସଂଦର୍ଭ ଲେଖିବେ

ପୁରାତନ ପ୍ରାପ୍ତ ତୈଳଚିତ୍ରରୁ

ପ୍ରମାଣ ମିଳୁଛି ଯେ,

 

ସେ କାଳର ମଣିଷ ବ୍ୟବସାୟୀ ଥିଲେ

ପୋଡ଼ା ମାଝି

ସେମାନଙ୍କର ସର୍ଦ୍ଦାର ଥିଲା ।


 

ଅସହାୟ ସହର

 

ମଲା ଅଜଗରପରି

ଶୋଇପଡିଛି

ଏକ ଛିନା ଛିନା ରାସ୍ତା,

 

ଯେଉଁ ବୁଲା କୁକୁର

ଏ ରାସ୍ତା ଡେଇଁବାକୁ ଭୟ କରୁଥିଲା

ଏବେ ସିଂହ ପ୍ରାଏ ବେଧଡକ୍‌ ବୁଲୁଛି

 

ଏ ରାସ୍ତା ଚିହ୍ନିଥିଲା

ଉଈହୁଂକାରୁ ବାହାରୁଥିବା

ବତ୍ରିକିରା ପରି ହୁଦାହୁଦା

ମଟରଗାଡ଼ି, ଜନଗହଳି,

 

ଚିହ୍ନିଥିଲା

ସେଇ କଚଡ଼ା ସଫାକରୁଥିବା

ଅସନା ପାପୁଲି,

 

ଶ୍ରମ ଛଳଛଳ ପେଡାଲ ମାରୁଥିବା

ଝାଳୁଆ ପାଦ

 

ସୁଲଭ ପାଇଖାନାରୁ

ଢକ୍ ଢକ୍ ପାଣି ପିଉଥିବା

ଶୁଖିଲା କଣ୍ଠନଳୀ

 

ରାସ୍ତାକଡ ଦୋକାନରୁ

ଶସ୍ତା ରାଜ୍‌ମା-ଭାତରେ ପେଟପୁରାଉଥିବା

ଭୋକିଲା ପାକସ୍ଥଳୀ,

 

ଦିନେ ଏମାନେ

ପତ୍ନୀର ପ୍ରେମ, ପୁଅଝିଅର ସ୍ନେହ

ଭିଟାମାଟିର ମମତା

ବଂଧୁପରିଜନର ତାଗିଦା

ସବୁକୁ ପାଦରେ ମକଚି

ଭୋକର ବୋଝକୁ ବୋହି

ଦୌଡ଼ି ଆସିଥିଲେ ଦିଲ୍ଲୀ

 

ଅଜାଡି ଦେଇଥିଲେ

ତାଂକ ସ୍ୱପ୍ନ, ଶ୍ରମ ଓ ସାମର୍ଥ୍ୟ ତ’

ଖିଲିଖିଲେଇ ଉଠିଥିଲା ସହର

ମହକି ଉଠିଥିଲା

ଘର, ଦ୍ୱାର, ନାଲି, ଗଳି

ଛକ, ମଲ୍, ଅଫିସ, ପାର୍କ

ଷ୍ଟେସନ, ବଜାର

 

ସବୁଠି ସଫାସୁତରା

ହସହସ ଜନଗହଳି,

 

ଆଖିରେ ଅହଂକାରର ପରଳ ଥିଲା ବୋଲି

ଆମେ ଦେଖି ପାରି ନ ଥିଲୁ

ଅଭାବ ଭର୍ତି ସହରତଳି,

ରାସ୍ତାକଡର ପାଦେ ମାଟିରେ,

ଗଛମୂଳେ, ଦୋକାନ କଡ଼େ

ନିଇତି ନିଇତି ଜୁଝୁଥିବା

ତାଂକ ଜୀବନ ଅର୍ଦଳୀ,

 

ଏବେ

ସେ ରାସ୍ତାକଡ଼ ଖୁବ ଛିନା ଛିନା !

 

ନା ପାଦ, ପାପୁଲି, ପାକସ୍ଥଳୀ

କେହି ଦେଖାଯାଉ ନାହାନ୍ତି

 

ସବୁଯାକ ଭୋକ, ଅଭାବକୁ

ଝୋଲାରେ ଗଂଠେଇ

କେବେ ଛାଡିଆସିଥିବା

ସେଇ ଭଂଗା କାନ୍ଥ, ଉଜୁଡା ଛପର,

ପରିତ୍ୟକ୍ତ ଅଗଣା ଆଡ଼କୁ

ମୁଁହାଇଛନ୍ତି ତ’

 

ଯୁଆଡ଼େ ଦେଖିଲେ

ମଲା ଅଜଗର ପରିଶୋଇ ପଡିଛି

ଅସହାୟ ଦିଲ୍ଲୀ

 

ଆଚ୍ଛା !

କେହି କହି ପାରିବେ ?

 

ଏତେ ଏତେ ନେତା, ବିତ୍ତଶାଳୀ ବ୍ୟକ୍ତି,

ଶିଳ୍ପପତି,

ସହରରେ ମହଜୁଦ ଥିବା ସତ୍ତ୍ୱେ,

ଦେଶର ମୁଖିଆ କିଆଁ ହାତଯୋଡ଼ି କହୁଛି

ଏ ମାମୁଲି ପାଦ, ପାପୁଲିକୁ

ରହି ଯାଅ ବୋଲି ?


Return to collection


Illustration by Rohini Mani

 

 

About the Author

Basudev Sunani

Basudev Sunani (born 1962) is an award-winning writer, in Odia and English, from Odisha. His poems (‘Asprushya’, ‘Karadi Haat’  and ‘Chhi’, among others), novels (Padaa Podi and Mashanee Sahara Delhi), stories, essays (in Dalit Encounter, Ambedkarism: A Way of Life, among others), translations, science writings and documentaries are widely read. His works have been translated into English, German, Aboriginal-Australian, Hindi, Gujarati, Bhojpuri, Punjabi, Tamil, Marathi, Malayalam and Urdu, and he has received 17 national and regional awards. A veterinarian by profession, Dr Sunani is interested in Dalit culture, their tradition of community weaving and the revival of Domb music and language, a neglected practice by the 'untouchable' community in Odisha.


ବାସୁଦେବ ସୁନାନୀ (ଜନ୍ମ ୧୯୬୨) ଆମ ସମୟର ଜଣେ ସ୍ୱନାମଧନ୍ୟ ଓଡ଼ିଆ ଲେଖକ। ତାଙ୍କ ଉଚ୍ଚକୋଟୀର ସାହିତ୍ୟିକ କୃତି ପାଇଁ ସେ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହି କୃତିଗୁଡିକ ମଧ୍ୟରେ “ଅସ୍ପୃଶ୍ୟ”, “କରଡ଼ି ହାଟ”, “ଛି”, କାଳିଆ ଉବାଚ (କବିତା); ପଡାପୋଡି ଓ ମଶାଣି ସହର ଦିଲ୍ଲୀ (ଉପନ୍ୟାସ); ଏବଂ ଦଳିତ ସଂସ୍କୃତିର ଇତିହାସ (ଜ୍ଞାନଭିତ୍ତିକ ପୁସ୍ତକ) ଆଦି ଉଲ୍ଲେଖଯୋଗ୍ୟ। ତାଙ୍କ ରଚିତ କବିତା ଓ ପୁସ୍ତକମାନ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଭାଷାରେ—ଯଥା ଇଂରାଜୀ, ଜର୍ମାନ, ଅଷ୍ଟ୍ରେଲିଆର ଆଦିମ ଜନଜାତିଙ୍କର ଭାଷା, ଆରବିକ, ହିନ୍ଦୀ, ଗୁଜରାଟୀ, ଭୋଜପୁରୀ, ପଞ୍ଜାବୀ, ତାମିଲ, ମରାଠୀ, ମାଲାୟାଲାମ ଓ ଉର୍ଦ୍ଦୁ—ଅନୁଦିତ ହୋଇ ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି। ବୃତ୍ତିରେ ପ୍ରାଣୀ ଚିକିତ୍ସକ, ଡାଃ ସୁନାନୀ ଦଳିତ ସଂସ୍କୃତିର ଗଭୀର ଅଧ୍ୟୟନ କରିଛନ୍ତି ଏବଂ ଡମ ଭାଷା ଓ ସାଂଗୀତିକ ପରମ୍ପରାର ପୁନରୁଦ୍ଧାର ପାଇଁ ସତତଃ ଚେଷ୍ଟିତ।

Stories you might like

Subscribe for new writing

Sign up to receive new pieces of writing as soon as they are published as well as information on competitions, creative grants and more.